ପାରାଦୀପ, 22/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ତାରିଖ – ୨୨/୧୧/୨୦୨୬ : ପାରାଦୀପରେ ଆୟୋଜିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଉତ୍ସବର ଉଦ୍ଘାଟନୀ ସମାରୋହ ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ରବିବାର ସକାଳେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପାରାଦୀପ ପୌର ପ୍ରଶାସନର ବିଭିନ୍ନ ଅଧିକାରୀ ଉତ୍ସବସ୍ଥଳ ପରିଦର୍ଶନ କରି ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ। ସେହିପରି ସନ୍ଧ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମା କଳିଙ୍ଗ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ଅନ୍ୟପକ୍ଷରେ ବୋଇତ ବନ୍ଦାଣ ଉତ୍ସବ ଅବସରରେ ପାରାଦୀପ ବନ୍ଦରର ଓଏଟ୍ ବେସିନ୍ ନିକଟରୁ ମୁଖ୍ୟମନ୍ତ୍ରୀ ବୋଇତ ବନ୍ଦାଣ କରିବାର କାର୍ଯ୍ୟକ୍ରମ ରହିଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଉତ୍ସବର ସୁପରିଚାଳନା ପାଇଁ ମୋଟ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଏହି ସମସ୍ତ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଉପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିଜେ ତଦାରଖ କରୁଥିବା ଜଣାପଡ଼ିଛି।