ତିର୍ତ୍ତୋଲ, 22/11/2026, ଉତ୍କଳ voice news - utkalvoicenews.com( ସୁମିତ୍ରା ସେନାପତିଙ୍କ ରିପୋର୍ଟ ) : ତାରିଖ - ୨୦/୧୧/୨୦୨୬ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବେଆଇନ ମଦ ଚାଲାଣ ଓ ବିତରଣ ଉପରେ ରୋକ ଲଗାଇବା ପାଇଁ ପୋଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି। ଏହି ଚଢ଼ାଉରେ ମୋଟ ୬୨.୧୨୦ ଲିଟର ବେଆଇନ ମଦ ସହ ଗୋଟିଏ ୱାଗନ୍ଆର୍ କାର୍ ଜବତ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଗତ ୨୦ ନଭେମ୍ବର ୨୦୨୬ ତାରିଖ ରାତିରେ ବେଆଇନ ମଦ ଚାଲାଣ ଓ ବିତରଣ ସମ୍ପର୍କରେ ବିଶେଷ ସୂଚନା ପାଇ ତିର୍ତ୍ତୋଲ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ପ୍ରଥମ ଅଭିଯୁକ୍ତ ବାଫାପୁର ଗ୍ରାମର ସୌମ୍ୟରଞ୍ଜନ ସାହୁ ଓରଫ୍ ଶିବୁନା (୩୩)ଙ୍କ ନିକଟରୁ ୮୯ ବୋତଲ ମ୍ୟାକଡୋୱେଲ୍ସ ନଂ-୧ ସେଲିବ୍ରେସନ୍ ପ୍ରିମିୟମ୍ ରମ୍, ୮୯ ବୋତଲ ମ୍ୟାକଡୋୱେଲ୍ସ ନଂ-୧ ହ୍ୱିସ୍କି ଏବଂ ୫୦ ବୋତଲ ଆସ୍କା-୪୦ ଦେଶୀ ମଦ ସମେତ ଗୋଟିଏ ୱାଗନ୍ଆର୍ କାର୍ (ନଂ- OR-02-BD-1674) ଜବତ କରାଯାଇଥିଲା। ଏଥିରେ ମୋଟ ୪୨.୦୪୦ ଲିଟର ମଦ ରହିଥିଲା। ସେହିପରି ବାଲିପାଟଣା ଗ୍ରାମର ପଞ୍ଚାନନ ସାହୁ ଓରଫ୍ ପାଗାନାଙ୍କ ନିକଟରୁ ୫୬ ବୋତଲ ମ୍ୟାକଡୋୱେଲ୍ସ ନଂ-୧ ସେଲିବ୍ରେସନ୍ ପ୍ରିମିୟମ୍ ରମ୍ ଓ ୫ ବୋତଲ ଆସ୍କା-୪୦ ଦେଶୀ ମଦ, ମୋଟ ୧୧.୦୮୦ ଲିଟର ଜବତ ହୋଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଖୁଣ୍ଟାଳ ଗ୍ରାମର ରଶ୍ମିତା ମହାନ୍ତିଙ୍କ ନିକଟରୁ ୪୫ ବୋତଲ ଆସ୍କା-୪୦ ଦେଶୀ ମଦ, ମୋଟ ୯ ଲିଟର ଜବତ କରାଯାଇଥିଲା। ପୋଲିସର ପ୍ରାଥମିକ ତଦନ୍ତରୁ ମଦ ସଂଗ୍ରହ, ପରିବହନ, ଗଚ୍ଛିତ ରଖିବା ଏବଂ ଆର୍ଥିକ ଲାଭ ଉଦ୍ଦେଶ୍ୟରେ ବିତରଣ କରିବା ନେଇ ଏକ ସନ୍ଦିଗ୍ଧ ବେଆଇନ ମଦ ଯୋଗାଣ ନେଟୱର୍କ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ୨୦ ନଭେମ୍ବରରେ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
ଏନେଇ ତିର୍ତ୍ତୋଲ ଥାନାରେ କେସ୍ ନଂ-୫୦୩, ତାରିଖ ୨୦.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧(୨)/୧୧୨(୨)/୬୧(୨) ଏବଂ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(କ)/୫୨(ଖ)/୫୨(ଗ)/୫୪/୫୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ବେଆଇନ କାରବାରରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହାର ତଦନ୍ତ ଜାରି ରହିଛି। ଏଥିସହ ଫେରାର ଥିବା ଗାଡ଼ି ଚାଳକ ଏବଂ OD-02-CL-4695 ନମ୍ବର ବିଶିଷ୍ଟ କିଆ କାର୍ର ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ଉକ୍ତ କାର୍କୁ ଜବତ କରିବା ସହ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ତିର୍ତ୍ତୋଲ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।