ଏରସମା, 23/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାକୁ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବା ବେଳେ ପ୍ରମାଣପତ୍ର ମିଳିବା ପରେ ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରି ସାତ ମାସ ବିତିଗଲାଣି। ତଥାପି ଏଯାବତ୍ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି।
ପ୍ରକାଶ ଯେ, ଏରସମା ବ୍ଲକ୍ ଗଡବିଶୁନପୁର ପଞ୍ଚାୟତ ଅନ୍ତର୍ଗତ ଖଟିକୋଳଦା ଗ୍ରାମର ମାଗୁ ବେହେରା (୫୮) ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରାୟ ତିନି ବର୍ଷ ତଳେ ସେ ନିଜ ଟିଭିଏସ୍ ଗାଡ଼ିରେ ବୋରିକିନାରୁ ବରଫ ନେଇ ଘରକୁ ଫେରୁଥିବା ସମୟରେ ଏକ ପଲସର ଗାଡ଼ି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ଭାଙ୍ଗିଯାଇ ସେ ଗୁରୁତର ଆହତ ହୋଇଥିଲେ।
ପରବର୍ତ୍ତୀ ସମୟରେ ତାଙ୍କ ବାମ ଗୋଡ଼ ସବୁଦିନ ପାଇଁ ଅଚଳ ହୋଇଯାଇଥିବାରୁ ସେ ଆଉ ମାଛ ବ୍ୟବସାୟ କରିପାରିନଥିଲେ। ଫଳରେ ଦୀର୍ଘ ତିନି ବର୍ଷ ହେଲା ତାଙ୍କର କୌଣସି ରୋଜଗାର ନଥିବା ବେଳେ ତାଙ୍କ ପରିବାରରେ ତିନିଜଣ ସଦସ୍ୟ ରହିଛନ୍ତି।
ଦୁର୍ଘଟଣାର ଦୁଇ ବର୍ଷ ପରେ ମାଗୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ। ଏହାପରେ ଗତ ମାର୍ଚ୍ଚ ମାସରେ ଜନସେବା କେନ୍ଦ୍ର ମାଧ୍ୟମରେ ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ। ମାତ୍ର ଆବେଦନର ସାତ ମାସ ବିତିଯାଇଥିଲେ ମଧ୍ୟ ଏଯାବତ୍ ତାଙ୍କୁ ଭତ୍ତା ମିଳିନଥିବା ସେ ଅଭିଯୋଗ କରିଛନ୍ତି।
ଏଭଳି ସ୍ଥିତିରେ ଅସହାୟ ମାଗୁ ବେହେରାଙ୍କୁ ଭିନ୍ନକ୍ଷମ ଭତ୍ତା କେବେ ମିଳିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।